ବଣମଲ୍ଲୀର ମହକ ଇ-ପତ୍ରିକା
ମାନବିକ ଭାବନା, ମୂଲ୍ୟବୋଧ ଏବଂ ପରିଚୟର ଅନୁସନ୍ଧାନରେ ସାହିତ୍ୟ ଏକ ଶକ୍ତିଶାଳୀ ସାଧନ । ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପରିଚୟ, ସଂରକ୍ଷଣ ଓ ବିଶ୍ଳେଷଣ ସାହିତ୍ୟ ଦ୍ଵାରା ହିଁ ସମ୍ଭବ । ସାମାଜିକ ପୃଷ୍ଠଭୂମିରେ ସୃଜନଶୀଳ ଅଭିଜ୍ଞତା ହିଁ ସାହିତ୍ୟରେ ପ୍ରତିବିମ୍ବିତ ହୋଇଥାଏ । ସାହିତ୍ୟର ସୃଜନଶୀଳ ଆଲେଖ୍ୟ ପିଣ୍ଡରେ ପ୍ରାଣ ସଂଚାର କରିଥାଏ । ଓଡିଆ ସାହିତ୍ୟରେ ପ୍ରତିଭାବାନ ଲେଖକ, କବି ଏବଂ କଳାକାରମାନଙ୍କ ସୃଜନଶୀଳ କାର୍ଯ୍ୟକୁ ପ୍ରୋତ୍ସାହନ ତଥା ପ୍ରଦର୍ଶନ କରିବା କ୍ଷେତ୍ରରେ ସାହିତ୍ୟ ପତ୍ରିକାଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସାରସ୍ଵତ ପତ୍ରିକାଗୁଡ଼ିକ ସାହିତ୍ୟିକ ସୃଜନଶୀଳତାର ପରୀକ୍ଷଣ, ସମାଲୋଚନାମୂଳକ ବକ୍ତବ୍ୟ ଏବଂ ସାଂସ୍କୃତିକ ବିନିମୟ ପାଇଁ ବହୁ ଆବଶ୍ୟକୀୟ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଉଭୟ ଲେଖକ ତଥା ପାଠକମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରିଥାଏ । ସାରସ୍ଵତ ସ୍ରଷ୍ଟାର କବିତା, କାଳ୍ପନିକ ଭାବନା ଏବଂ ସୃଜନଶୀଳ ସୃଷ୍ଟି ଧାରା ମଧ୍ୟରେ ମୂଲ୍ୟବୋଧଭିତ୍ତିକ ଚିନ୍ତାଧାରା ସୃଷ୍ଟି କରୁଥିବା ଲେଖାଗୁଡ଼ିକ ସମାଜକୁ ମାର୍ଗ ଦର୍ଶନ କରିଥାଏ । ବଣମଲ୍ଲୀର ମହକ ମାଧ୍ୟମରେ ପାଠକମାନେ ନୂତନ ଲେଖକ ଆବିଷ୍କାର କରିବା ସହିତ, ବିଭିନ୍ନ ଲେଖା ଶୈଳୀର ଅନୁସନ୍ଧାନ କରିପାରିବେ ଏବଂ ସମସାମୟିକ ସାହିତ୍ୟର ଧାରା ସହ ଜଡିତ ହେବା ସହିତ ନିଜର ସାହିତ୍ୟିକ ଦିଗକୁ ବିସ୍ତାର କରିପାରିବେ ।
ଯୁଗର ବିବର୍ତ୍ତନ ଧାରାରେ ବଣମଲ୍ଲୀର ମହକ ସାହିତ୍ୟ କମ୍ୟୁନିଟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଆନ୍ଦୋଳନ । ବିଶ୍ଵବ୍ୟାପୀ ଓଡିଆ ଲେଖକ ଓ ପାଠକମାନଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ରଜ୍ଜୁରେ ବାନ୍ଧି ରଖିବାର ମହତ ପ୍ରୟାସରେ ବଣମଲ୍ଲୀର ମହକ ନିଜକୁ ସାମିଲ କରିଛି । ପ୍ରତିମାସ ୧ ତାରିଖରେ ପିଡିଏଫ ଫର୍ମାଟରେ ଡିଜିଟାଲ ପତ୍ରିକା ପ୍ରକାଶ କରି ବିଶ୍ଵର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଓଡିଆ ପାଠକମାନଙ୍କ ନିମନ୍ତେ ଇଣ୍ଟରନେଟ ମାଧ୍ୟମରେ ନିଃଶୁଳ୍କ ବିତରଣ କରାଇବାର ନୀରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି ।
ପୂର୍ବ ସଂଖ୍ୟା ଗୁଡିକ ଖୋଜନ୍ତୁ