ସମ୍ପାଦକୀୟ
ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ସାହିତ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମାନବିକ ଭାବନା, ମୂଲ୍ୟବୋଧ ଏବଂ ପରିଚୟର ଅନୁସନ୍ଧାନରେ ସାହିତ୍ୟ ଏକ ଶକ୍ତିଶାଳୀ ସାଧନ । ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପରିଚୟ, ସଂରକ୍ଷଣ ଓ ବିଶ୍ଳେଷଣ ସାହିତ୍ୟ ଦ୍ଵାରା ହିଁ ସମ୍ଭବ । ସାମାଜିକ ପୃଷ୍ଠଭୂମିରେ ସୃଜନଶୀଳ ଅଭିଜ୍ଞତା ହିଁ ସାହିତ୍ୟରେ ପ୍ରତିବିମ୍ବିତ ହୋଇଥାଏ । ସାହିତ୍ୟର ସୃଜନଶୀଳ ଆଲେଖ୍ୟ ପିଣ୍ଡରେ ପ୍ରାଣ ସଂଚାର କରିଥାଏ । ଅନ୍ଧକାରରୁ ଆଲୋକ ଆଡକୁ ବାଟ କଢାଇ ନେବାରେ ସହାୟକ ହୁଏ । ସମାଲୋଚକର ଚିନ୍ତାଧାରାକୁ ପରିବ୍ୟାପ୍ତ କରେ । ମାନବିକ ଅନୁଭୂତିର ଅନୁସନ୍ଧାନରେ ମାର୍ଗ ଦର୍ଶକ ସାଜିଥାଏ । ମନୁଷ୍ୟର ଜଟିଳ ଚିନ୍ତାଧାରାକୁ ସହଜ ସରଳ କରିବାରେ ସହାୟକ ହୁଏ । ସାହିତ୍ୟର ଆଦର ବଢିଲେ ଏକ ସୁସ୍ଥ ରାଷ୍ଟ୍ର ଗଠନ ସମ୍ଭବ ହୁଏ । ସାହିତ୍ୟ ହିଁ ଗୋଟିଏ ଜାତିର ପରିଚୟ ।
ଓଡିଶା ହେଉଛି ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାରେ ସମୃଦ୍ଧ ଏକ ରାଜ୍ୟ । ଓଡିଆ ସାହିତ୍ୟରେ ପ୍ରତିଭାବାନ ଲେଖକ, କବି ଏବଂ କଳାକାରମାନଙ୍କ ସୃଜନଶୀଳ କାର୍ଯ୍ୟକୁ ପ୍ରୋତ୍ସାହନ ତଥା ପ୍ରଦର୍ଶନ କରିବା କ୍ଷେତ୍ରରେ ସାହିତ୍ୟ ପତ୍ରିକାଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସାରସ୍ଵତ ପତ୍ରିକାଗୁଡ଼ିକ ସାହିତ୍ୟିକ ସୃଜନଶୀଳତାର ପରୀକ୍ଷଣ, ସମାଲୋଚନାମୂଳକ ବକ୍ତବ୍ୟ ଏବଂ ସାଂସ୍କୃତିକ ବିନିମୟ ପାଇଁ ବହୁ ଆବଶ୍ୟକୀୟ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଉଭୟ ଲେଖକ ତଥା ପାଠକମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରିଥାଏ । ସାରସ୍ଵତ ସ୍ରଷ୍ଟାର କବିତା, କାଳ୍ପନିକ ଭାବନା ଏବଂ ସୃଜନଶୀଳ ସୃଷ୍ଟି ଧାରା ମଧ୍ୟରେ ମୂଲ୍ୟବୋଧଭିତ୍ତିକ ଚିନ୍ତାଧାରା ସୃଷ୍ଟି କରୁଥିବା ଲେଖାଗୁଡ଼ିକ ସମାଜକୁ ମାର୍ଗ ଦର୍ଶନ କରିଥାଏ । ବଣମଲ୍ଲୀର ମହକ ମାଧ୍ୟମରେ ପାଠକମାନେ ନୂତନ ଲେଖକ ଆବିଷ୍କାର କରିବା ସହିତ, ବିଭିନ୍ନ ଲେଖା ଶୈଳୀର ଅନୁସନ୍ଧାନ କରିପାରିବେ ଏବଂ ସମସାମୟିକ ସାହିତ୍ୟର ଧାରା ସହ ଜଡିତ ହେବା ସହିତ ନିଜର ସାହିତ୍ୟିକ ଦିଗକୁ ବିସ୍ତାର କରିପାରିବେ ।
ତେଣୁ ଆଜିର ବୈଜ୍ଞାନିକ ବିକାଶ ଧାରା ସହିତ ତାଳ ଦେଇ ଆମ ସାହିତ୍ୟର ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତାକୁ ଆମକୁ ଆଜି ବୁଝିବାକୁ ହେବ । ଓଡିଆ ସାହିତ୍ୟର ବୈଷୟିକ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଆମକୁ ଆହୁରି ଯତ୍ନବାନ ହେବାକୁ ପଡିବ । ଯେମିତିକି ଆମ ଉତ୍ତର ପିଢି ନିଜକୁ ଓଡିଆ ବୋଲି କହି ଗର୍ବରେ ଫାଟି ପଡୁଥିବ ।